Badhila Jani

ବାଧିଲା ଜାଣି କ୍ଷମା କର ନୋହିଲେ ରମା-ରମଣ ଦାଣ୍ଡେ ଦିଅ ଟାଳି
ତୁମ୍ଭଙ୍କୁ ଜଗନ୍ନାଥ ଆଜି ମୋ ମନୋରଥ ଭରତି କରିଦେବି ଗାଳି
ହେ-ଏ, କୃପାନିଧି
କରୁଣାସିନ୍ଧୁ ବୋଲି କରି କହନ୍ତି ବୁଧେ ଡରି ମରି
କାଳସର୍ପ ଆପଣ କବଳ କର ପ୍ରାଣ ପବନମାନଙ୍କୁ ସବୁରି
ହେ-ଏ କୃପାନିଧି

ଜଳଧି ଅନ୍ତେ ନିଜ ଘର ଦେବାଧିରାଜ ବୁଡ଼ାଇ ଦେଇଛି ଆପଣ
ତୁମ୍ଭରି ସିନା ଘେନ ଆଶ୍ଚର୍ଯ୍ୟ ନୋହେ ଆନ ଜନର ଘରବୁଡ଼ା ପଣ
ହେ-ଏ, କୃପାନିଧି
ଭୁଜଙ୍ଗ ସାମ୍ୟ ଆମ୍ଭ ତୁଲେ ବତାଅ ବୋଲି ଆଜ୍ଞା ହେଲେ
ମୁଁ ନୁହେଁ ଘରବୁଡ଼ା ବତାଇବାକୁ ଛିଡ଼ା ହୋଇଛି ବତାଇବି ଭଲେ
ହେ-ଏ, କୃପାନିଧି

ତାହାକୁ ବୋଲି ଚକ୍ରୀ ଚକ୍ର ଥିବାରୁ ଚକ୍ରୀ ତୁମ୍ଭେ ତ ବୋଲାଅ ମଣ୍ଡଳେ
ବେଭାରେ କୁଣ୍ଡଳୀ ସେ ଆପଣ ତ ବିଶେଷେ ଭୂଷିତ ମକର କୁଣ୍ଡଳେ
ହେ-ଏ, କୃପାନିଧି
ଅଦୃଶ୍ୟ ହେବାରୁ ତା' ପାଦ ତାହାକୁ ବୋଲି ଗୃଢ଼ପାଦ
ଆପଣ ଚରଣ ତ ବିରଞ୍ଚିକିକୁ ଗୁପତ କାହିଁ ତା'ଠାରୁ ତୁମ୍ଭ ଭେଦ
ହେ-ଏ, କୃପାନିଧି

ହେବ ବା ଅବଧାନେ ତାହାକୁ ତ୍ରିଭୁବନେ ବୋଲନ୍ତି କକୋଦର ନରେ
ଏ ତ୍ରପିଷ୍ଟକ ଯାକ ମଧ୍ୟେ ଗୋଟିଏ କାକ ନାହିଁକି ତୁମ୍ଭରି ଉଦରେ
ହେ-ଏ, କୃପାନିଧି
ବିବରେ ସେ ଅତି ଲମ୍ପଟ ବିବର ବିହଙ୍ଗମ ରାଟ
ବିଧିରେ ସେ ଲମ୍ପଟ ଆପଣ ତ ସେ ପଟ ପଟଳେ ହୋଇଅଛ ସ୍ପୁଟ
ହେ-ଏ, କୃପାନିଧି

କାନ ନ ଥାଇ ଆଖି ଭୁଜଙ୍ଗ ଠାରେ ଦେଖି ନୟନଶ୍ରବା ବୋଲି ତାକୁ
କହ କମଳାନନ କାହିଁଛି ତୁମ୍ଭ କାନ ସର୍ପ ବୋଲି ଚଳିବାକୁ
ହେ-ଏ, କୃପାନିଧି
ଫଣି କାୟାକୁ ବୋଲି ଭୋଗ ଥିବାରୁ ସେ ଦୁଇ ସଂଯୋଗ
ତାହାକୁ ବୋଲି ଭୋଗୀ ତୁମ୍ଭେ କି ନୁହ ଭୋଗୀ କରୁଯା' ଅଛ ମହାଭୋଗ
ହେ-ଏ, କୃପାନିଧି

ଯେବେ ଭୁଜଙ୍ଗ ନୁହଁ କାଳୀୟ ଠାରେ ଦ୍ରୋହ କଲ କାହିଁକି ଏଡ଼େ କରି
କେତେ ନଥିଲେ ଗୋପେ ତୁମ୍ଭେ କାହିଁକି କୋପେ ତାହାକୁ ଦେଲ ପ୍ରାଣେ ମାରି
ହେ-ଏ, କୃପାନିଧି
ତାହାରି ନାମେ ତୁମ୍ଭ ନାମ ଅଦ୍ୟାପି ହୋଇଛି ଜନମ
ଯେବେ ସ୍ବଗୋତ୍ର ଦ୍ରୋହ ନ ଥାନ୍ତା ନାଥ କହ କିମ୍ପାଇଁ ହୁଅନ୍ତା ଏ ଭ୍ରମ
ହେ-ଏ, କୃପାନିଧି

ଜାଣି ବାଳୁତ କାଳୁ ଲବଣୀ ହାଣ୍ଡି ତଳୁ ଧରି ପାଶରେ ହୃଦେ ଭିଡ଼ି
ଦୟା ନକରି ତିଳେ ଯାମଳା ତରୁ ତଳେ ଜନନୀ ନେଇ ଦେଲେ ଛାଡ଼ି
ହେ-ଏ, କୃପାନିଧି
ଯେତକ ଥିଲା ଗର୍ଭେ ପଡ଼ି ଜିର୍ଣ୍ଣ ହେବାକୁ ହେଲ ଭିଡ଼ି
ତିନି ଜଗତ ଯାକ ଜାଣି ତ ଥିବେ ଲୋକେ ସେ ତରୁ ଯିବାର ଉପୁଡ଼ି
ହେ-ଏ, କୃପାନିଧି

ବ୍ରହ୍ମା-ଶଙ୍କର-ମୁଖ୍ୟଦେବଙ୍କ ଠାରୁ ମୋକ୍ଷ-ପ୍ରଧାନ ଧନ ଗୂଢ଼ କଲ
ପତିତକୁ ନ ପୋଷିବାରୁ କ୍ରମରେ ଆଶୀ-ବିଷ ପରାଏ ଆଭାସିଲ
ହେ-ଏ, କୃପାନିଧି
ଅସାବଧାନେ ଗଲେ ମିଳି ଗୋଟିକୁ ଗିଳଇ କୁଣ୍ଡଳୀ
ଅଗଣିତ ବ୍ରହ୍ମାଣ୍ଡ ହାଣ୍ଡି ମଣ୍ଡଳୀ ରୁଣ୍ଡ କରି ଆପଣ ଅଛି ଗିଳି
ହେ-ଏ, କୃପାନିଧି

ଅହିତ ବୋଲାଏ ସେ ଏକ ଅକ୍ଷର କୋଷେ ଅହିତ ବୋଲାଅ ନିପୁଣ
କଂସ ପ୍ରମୁଖାସୁର ବିପକ୍ଷମାନଙ୍କର ଅହିତ ହୋଇଛି ଆପଣ
ହେ-ଏ, କୃପାନିଧି
ଜଗତେ ଧରି ଯେବେ ଅହି ଘଟ ଗୋଟିକେ ନେଇ ଥୋଇ
ଅଛି ଯାବତ ଘଟେ ବଞ୍ଚାଅ ଯେ କପଟେ ମୋର ହାବୁଡୁ ଯିବ କାହିଁ
ହେ-ଏ, କୃପାନିଧି

କେଉଁ ଶିଶୁ କାମିନୀ ସ୍ତନ୍ୟ ପାନରୁ ଘେନି ଜୀବନ ଯାଇଛି ଜଗତେ
ଶୋଷି ପୂତନା ପ୍ରାଣ ଘେନିବାର ଜୀବନ ନାହିଁକି ତୁମ୍ଭ ଦିବ୍ୟ ଚିତ୍ତେ?
ହେ-ଏ, କୃପାନିଧି
ସକଳ କଥା ମୋର ଦେଖି ଅଛନ୍ତି ଲକ୍ଷ ଲକ୍ଷ ସାକ୍ଷୀ
ବ୍ରଜେ ଭୁଜଙ୍ଗ ଚାଲି କରି ମୁଁ ନାହିଁ ବୋଲି ଛୁଅଁ ତ ଥରେ ଚକାଆଖି
ହେ-ଏ, କୃପାନିଧି

ନୁହେଁ ଆବାସ ଘର ମାନସ ସରୋବର ଶୁଭିଲା ନାଗେଶ୍ୱର ରବ
କ୍ଷଣେ ନା ରହି ଧାଇଁ ଗଲଟି କାହିଁ ପାଇଁ ଆଉ ନ ଥିଲେ କେତେ ଦେବ
ହେ-ଏ, କୃପାନିଧି
ମନ୍ତ୍ର ଜାଣିବା ଲୋକେ ବଶ ହୁଅନ୍ତି ସବୁ ଆଶୀ-ବିଷ
ମନ୍ତ୍ରାଧୀନ ତ ତୁମ୍ଭେ ବଞ୍ଚାଉଅଛ ଦମ୍ଭେ ଭୁଜଙ୍ଗ ନୁହ ଆଉ କିସ
ହେ-ଏ, କୃପାନିଧି

କହଇ କବିସୂର୍ଯ୍ୟ ନାଥ ନୁହ ଅଧର୍ଯ୍ୟ ଏଣିକି ମହତ ନ ଯାଉ
ମୁଁ ତୁମ୍ଭ ପରିଚାର ଜାଣିଲେ କି ବିଚାର ଇତରେ ନ ଜାଣନ୍ତୁ ଆଉ
ହେ-ଏ, କୃପାନିଧି
ଯେତେବେଳେ ମୋ ଅନ୍ତ ହେବ ଏତିକି ମାତ୍ର ମୋତେ ଦେବ
ପରେ ତରାଟ ଦ୍ଵାର ସୀମାରୁ ପରିହାର କରାଇ ଯହିଁ ତହିଁ ନେବ
ହେ-ଏ, କୃପାନିଧି



Credits
Writer(s): Sudha Mishra
Lyrics powered by www.musixmatch.com

Link