Ki Naadare Prana Sangini

(ଗୋପାଳକୃଷ୍ଣ— ରାଗ ଶଙ୍କରାଭରଣ, ରୂପକ)

କି ନାଦରେ ପ୍ରାଣ ସଙ୍ଗିନୀ ଶୁଭୁଛି କଦମ୍ବ ବନେ
ଶ୍ରୁତିରେ ସୁଧା ବରଷି ଧୃତି ନାଶେ ମଜ୍ଜି ମନେ । ଘୋଷା ।

ଦିଗ ବିଦିଗେ ପ୍ରସରି ଖଗ ମୃଗ ଜଡ଼ କରି
କୁଳବତୀ ନୀବି ଗ୍ରନ୍ଥୀ ଫିଟାଉଛି ଅଯତନେ । ୧ ।

ଜଳ ସ୍ତମ୍ଭ ଗ୍ରାବ ଦ୍ରବ ହୋଇଲା କି ଅସମ୍ଭବ
ଆଜନମୁଁ ଆଜକୁ ମୁଁ ଶୁଣି ତ ନଥିଲି ଦିନେ । ୨ ।

ଆସୁ କିନା ମୋ ପାଶକୁ ଲଭିଲିଟି କି ଦଶାକୁ
ନୀପ ଫୁଲ ପରି ଲୋମ ପୂରିଲା ମୋ ଅପଘନେ । ୩ ।

ତୋଳିଲା କୁସୁମ କରୁ ଗଳିପଡ଼ିଲା ରମ୍ଭୋରୁ
ରହି ପାରିବି ନାହିଁ ମୁଁ ଛାଡ଼ି ଦେ ନେଇ ସଦନେ । ୪ ।

ବଜାଉଛି ରସାଳସୀ ନିକୁଞ୍ଜ ଦେବତା ବଂଶୀ
ଗୋପାଳକୃଷ୍ଣ ଭାଷଇ ପ୍ରକଟିଲା ତ୍ରିଭୁବନେ । ୫ ।



Credits
Writer(s): Balkrishna Das, Gopalakrishna
Lyrics powered by www.musixmatch.com

Link